“ମନୁଷ୍ୟର ସାର୍ଥକତା ଧନ ସମ୍ପତ୍ତିର ବାହ୍ୟ ଆଡମ୍ବରରେ ନୁହେଁ, ବରଂ ସେବା ତଥା ସଦଗୁଣାବଳୀରେ ନିହିତ ଥାଏ...”
— ବାହ’ଓଲ୍ଲହ
ସମଗ୍ର ବିଶ୍ୱରେ ବାହ’ଈ ସମୁଦାୟ ଦ୍ୱାରା ଆରମ୍ଭ ହୋଇଥିବା ଅନେକ ଗୁଡିଏ ବସତି ନିର୍ମାଣ ପ୍ରୟାସ ମୁଳରେ ଏକ ଏପରି ବିକେନ୍ଦ୍ରିତ ଶୈକ୍ଷଣିକ ପ୍ରକ୍ରିୟା ରହିଅଛି ଯାହା ଏକ ଜୀବନ୍ତ ତଥା ସମୃଦ୍ଧଶାଳୀ ବସତି ନିର୍ମାଣ ନିମନ୍ତେ ଆବଶ୍ୟକ ବିଭିନ୍ନ କାର୍ଯ୍ୟକ୍ରମ ତଥା ଗତିବିଧିଗୁଡିକୁ ଆରମ୍ଭ କରିବାରେ ଯୁବା ଓ ବୟସ୍କ ମାନଙ୍କର କ୍ଷମତା ନିର୍ମାଣ କରିଥାଏ । ଏହି ଶୈକ୍ଷଣିକ ପ୍ରକ୍ରିୟା କ୍ଷୁଦ୍ର ତଥା ଅନୌପଚାରିକ ଦଳରେ ପ୍ରଦାନ କରାଯାଏ, ଯାହାକୁ ‘ପାଠ୍ୟଚକ୍ର’ କୁହାଯାଏ । ଏହି ପାଠ୍ୟଚକ୍ର ଗୁଡିକର ପାଠ୍ୟକ୍ରମ ଈଶ୍ୱରଙ୍କ ବାଣୀ ଉପରେ ଆଧାରିତ ହୋଇଥାଏ ଯାହାର ଉଦ୍ଦେଶ୍ୟ ସମସ୍ତ ପୃଷ୍ଠଭୂମିର ଲୋକମାନଙ୍କ ବୌଦ୍ଧିକ, ନୈତିକ, ଆଧ୍ୟାତ୍ମିକ ତଥା ବ୍ୟବହାରିକ କ୍ଷମତାଗୁଡିକୁ ପୋଷିତ କରିବା । ଏହି ପାଠ୍ୟକ୍ରମମାନ ବିଷୟ ବସ୍ତୁଗୁଡିକର ଶୃଙ୍ଖଳାକୁ ନେଇ ଗଠିତ, ଯାହାର ଉଦ୍ଦେଶ୍ୟ ବସତିରେ ଅନେକ ସେବା କାର୍ଯ୍ୟ ନିମନ୍ତେ କ୍ଷମତା ନିର୍ମାଣ କରିବା, ଯେପରି ଶିଶୁମାନଙ୍କ ଆଧ୍ୟାତ୍ମିକ ଶିକ୍ଷା ନିମନ୍ତେ ଶୈକ୍ଷଣିକ ଶ୍ରେଣୀ, ଭକ୍ତିମୂଳକ ବୈଠକର ଆୟୋଜନ କରିବା, ଏବଂ ପାଠ୍ୟଚକ୍ର ଗୁଡିକର ସହ-ଶିକ୍ଷକତା କରିବା ।
ସେହି ଲୋକମାନେ, ଯେଉଁମାନେ ମିଳିତ ଭାବରେ ତାଲିମ ପ୍ରତିଷ୍ଠାନ ପ୍ରକ୍ରିୟାର ଅଂଶ ଭାବରେ ପ୍ରଦତ୍ତ ପାଠ୍ୟକ୍ରମର ଶୃଙ୍ଖଳା ମଧ୍ୟ ହୋଇ ଆଗକୁ ଅଗ୍ରସର ହୁଅନ୍ତି, ସେମାନେ ଏକ ଏପରି ସେବା ପଥରେ ଚାଲନ୍ତି, ଯାହା ସୁସଙ୍ଗଠିତ ପରନ୍ତୁ ନମନୀୟ । ଏହି ପ୍ରକ୍ରିୟା କୋଟି କୋଟି ଲୋକମାନଙ୍କୁ ଈଶ୍ୱରଙ୍କ ବାଣୀ ଓ ସେମାନଙ୍କ ଜୀବନ ତଥା ସମାଜ ଉପରେ ଏହାର ଉପଯୋଗୀତା ବିଷୟରେ ଗଭୀର ଭାବରେ ଚିନ୍ତନ କରିବା ନିମନ୍ତେ ତଥା ନିଜ ବସତିର ଉନ୍ନତି ପାଇଁ ସେହି ଅନୁଭବ ଗୁଡିକୁ ବ୍ୟବହାର କରିବାରେ ମିଳିତ କାର୍ଯ୍ୟ କରିବା ନିମନ୍ତେ ସକ୍ଷମ କରାଇଥାଏ ।